×
Login

ଅଚିହ୍ନା ବିଦେଶୀ ଶବ କୁ କାନ୍ଧ ଦେଲେ ଯୁବ ସରପଞ୍ଚ ଓ ଯୁବ ସାମ୍ବାଦିକ ।।.

231 Views 0 Comments | - By Black Cat News - 22 June, 2023

mediafile1687395202.png

ଆଜି ବି ବଞ୍ଚିଛି ମାନବିକତା । ଆଜି ବି ରହିଛି ମଣିଷ ପଣିଆର ନିଆରା ଉଦାହରଣ । ଯେଉଁଠି ସେବା କେବଳ ସାମାଜିକ ଗଣମାଧ୍ୟମର ପୃଷ୍ଠା ବିମଣ୍ଡିତ କରୁଛି ସେଇଠି ସେବାର ନୂଆ ନୂଆ ଦୃଷ୍ଟାନ୍ତ ସାମ୍ନାକୁ ଆସୁଅଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରାଜସୁନାଖଳା ପଞ୍ଚାୟତ ନୃସିଂହପୁର ଟାଙ୍ଗୀସାହି ଗାଁରେ । ଏହି ଗାଁରେ ଦୀର୍ଘ ୬ ଘଣ୍ଟା ଧରି ଦୁର୍ଗନ୍ଧ ପରିବେଶରେ ଏକ ଶବ ପଡିରହିଥିବା ବେଳେ ଅନ୍ତିମ ଯାତ୍ରା ପାଇଁ କାନ୍ଧ ମିଳି ନ ଥିଲା । ଶେଷରେ ସ୍ଥାନୀୟ ଯୁବ ସରପଞ୍ଚ ଏବଂ ମହୋତ୍ସବ ଅଧ୍ୟକ୍ଷ ଶବଟିକୁ କାନ୍ଧ ଦେଇ ଅନ୍ତିମ ସଂସ୍କାର କରାଇଛନ୍ତି ।

ଏହି ଗାଁ ରେ ଦୀର୍ଘ ୪୦ ବର୍ଷ ହେବ କୃଷ୍ଣ ବହାଦୁର ଏବଂ ତାଙ୍କର ପତ୍ନୀ ଓ ୪ ଝିଅ ରହିଆସୁଥିଲେ । କୃଷ୍ଣ ନେପାଳରୁ ଆସି ସ୍ଥାନୀୟ ରାଜ ସୁନାଖଳା ବଜାରରେ ଚୌକିଦାର (ରାତ୍ରୀ ଜଗୁଆଳି) ଭାବେ କାର୍ଯ୍ୟ କରୁଥିଲେ । ନିଜର ସୀମିତ ରୋଜଗାରରେ ସେ ୪ ଝିଅଙ୍କ ବିବାହ କରାଇଥିଲେ । ପରେ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଯାହାଫଳରେ ଗତ ୫ ବର୍ଷ ହେବ କୃଷ୍ଣ ସମ୍ପୂର୍ଣ ଏକୁଟିଆ ଓ ବେସାହାରା ହୋଇପଡ଼ିଥିଲେ ।ଏପଟେ ଦଇବର ଯନ୍ତ୍ରଣା ମଧ୍ୟ ଥିଲା ଅତି କଠିନ । କୃଷ୍ଣଙ୍କ ଦୁଇଗୋଡ଼ରେ ଘାଆ ହୋଇ କ୍ରମଶଃ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା ।

ଚିକିତ୍ସା ପାଇଁ ଅର୍ଥ ସାଙ୍ଗକୁ ଆତ୍ମୀୟଙ୍କ ଅଭାବ କାରଣରୁ କୃଷ୍ଣଙ୍କ ଶରୀର ସାରା ବଡ଼ ବଡ଼ ଘା ହୋଇ ସମ୍ପୂର୍ଣ କୀଟଯୁକ୍ତ ହୋଇ ଯାଇଥିଲା । ଗତ ୪ ମାସ ହେବ ନିଜ ଘରର ବନ୍ଦ କୋଠରୀରେ ପଡି ଖାଦ୍ୟ, ଯତ୍ନ ଅଭାବରେ ରୋଗ ଯନ୍ତ୍ରଣାରେ ଗତକାଲି ବଡି ଭୋରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କୃଷ୍ଣ । ମାତ୍ର ଦୁର୍ଗନ୍ଧ ଯୁକ୍ତ ଶବ ସାଙ୍ଗକୁ କୁଟୁମ୍ବଙ୍କ ଅଭାବରୁ କେହି ଜଣେ ହେଲେ ଶବକୁ ଛୁଇଁ ନ ଥିଲେ । ଫଳରେ ଦିନ ୧ ଟା ପର୍ଯ୍ୟନ୍ତ ପଡି ରହିଥିଲା ଶବ । ତେବେ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲେ  ରାଜ ସୁନାଖଳା ପଞ୍ଚାୟତର ଚର୍ଚ୍ଚିତ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ରାଜ ସୁନାଖଳା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ । ଜଣେ ଶ୍ରମିକଙ୍କୁ ଡକାଇ ଉଭୟ ଏକ କୋକେଇରେ ଶବଟିକୁ କାନ୍ଧେଇ ଶ୍ମଶାନକୁ ନେଇଯାଇଥିଲେ । ୪୦ ଡିଗ୍ରୀର ତାତି ସାଙ୍ଗକୁ ଶବର ଦୁର୍ଗନ୍ଧ ଭାଙ୍ଗି ପାରି ନ ଥିଲା ଏହି ଉଭୟ ଯୁବ ଦ୍ବୟଙ୍କ ଉଦ୍ୟମକୁ ।

ଯଥା ରୀତିନୀତି ଅନୁଯାୟୀ ସ୍ଥାନୀୟ ହଡାନଦୀ କୂଳରେ ଥିବା ଶ୍ମଶାନରେ କୃଷ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଉଭୟ । ସ୍ଥାନୀୟ ଅଞ୍ଚଳରେ ଯିଏ ଏହି ଦୃଶ୍ୟ ଦେଖିଛି ପ୍ରଶଂସା ନ କରି ରହିପାରିନାହିଁ ଉଭୟଙ୍କ ଏହି ଉଦ୍ୟମକୁ । ବିଗତ ଦିନରେ ଯୁବ ସରପଞ୍ଚ ନିଜସ୍ୱ ଉଦ୍ୟମରେ ସ୍ୱଚ୍ଛତା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକରି କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସିତ ହୋଇଥିଲେ । ଅପର ପକ୍ଷେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ଆର୍ତତ୍ରାଣ ଗତ ୨ ବର୍ଷ ତଳେ ରାଜ ସୁନାଖଳା ବସ ଷ୍ଟାଣ୍ଡରେ ରାତି ସାରା ପଡି ରହିଥିବା ପ୍ରସବ ମହିଳା ଏବଂ ତାଙ୍କ ଶିଶୁଙ୍କୁ ବଞ୍ଚାଇ ବେଶ ଚର୍ଚ୍ଚିତ ହୋଇଥିଲେ ।  ଉଭୟ ଯୁବ ଦ୍ୱୟଙ୍କ ଏଭଳି ହୃଦୟବାନ ପ୍ରବୃତି ଏବଂ ନିଆରା ସେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଉଭୟଙ୍କୁ ପ୍ରଶଂସା କରାଯାଇଛି ।

DIPAK KUMAR SAHOO's Report
BlackCatNews, Nayagarh

#

Also Read

×