×
Login

ଚମ୍ପୁଆ ବିଧାୟିକା ଓ ବଡବିଲ ପୌରାଧ୍ୟକ୍ଷଙ୍କ ଦ୍ଵାରା ଉସୁ ଗୋଲ୍ଡ ମେଡାଲିଷ୍ଟ ଶ୍ୱେତାରାଣୀ ମହାନ୍ତ ସମ୍ବର୍ଦ୍ଧିତ। .

238 Views 0 Comments | - By Black Cat News - 12 May, 2023

mediafile1683865007.jpg

ବଡବିଲ: ଚଳିତ ମେ ମାସ ୩ ରୁ ୮ ତାରିଖ ପର୍ଯ୍ୟନ୍ତ ଋଷିଆ ଦେଶର ମସ୍କୋ ସହରରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଉସୁ ପ୍ରତିଯୋଗିତାର ୪୮କେଜି ବିଭାଗରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ କେନ୍ଦୁଝରର ଝିଅ ଶ୍ୱେତାରାଣୀ ମହାନ୍ତ। ଏଥିରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ଗୋଲ୍ଡ ମେଡାଲ ହାସଲ କରି ସମଗ୍ର ରାଜ୍ୟ ଓ କେନ୍ଦୁଝର ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି। ତାଙ୍କ ଏହି ପ୍ରଦର୍ଶନ ପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ସମଗ୍ର ଭାରତବର୍ଷରୁ ଶ୍ୱେତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି। ସେଇ କ୍ରମରେ ଗୁରୁବାର ସଂଧ୍ୟାରେ ବଡବିଲ ସହର ସ୍ଥିତ ଉସୁ ଷ୍ଟାଡିୟମରେ ଶ୍ୱେତାରାଣୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ ଅଭିନନ୍ଦନ ଜଣାଇଛନ୍ତି ମାନ୍ୟବର ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତଙ୍କ ସହ ବଡବିଲ ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଶ୍ୱେତା ବର୍ତ୍ତମାନ ବଡବିଲ ଜିନ୍ଦଲ ସ୍କୁଲର ୧୦ମ ଶ୍ରେଣୀର ଛାତ୍ରୀ ଅଟନ୍ତି। ତାଙ୍କ ବାପା ପଙ୍କଜ କୁମାର ମହାନ୍ତଙ୍କ ମୂଳଘର କେନ୍ଦୁଝର ଜିଲ୍ଲା ଉଖୁଣ୍ଡା, ଭୂଇଁପୁର ଗ୍ରାମର ଭାରତିୟା ସାହି ହୋଇଥିବା ବେଳେ ସେ ବଡବିଲ ସହରର ସେଡିଂ ବସ୍ତିରେ ବସବାସ କରନ୍ତି। ଇଣ୍ଡୋର ଏସିଆନ୍ସ ଗେମ୍ସରେ ଗୋଲ୍ଡ ମେଡାଲିଷ୍ଟ୍ ପଙ୍କଜ ଜଣେ ଜଣାଶୁଣା ଉସୁ ପ୍ରଶିକ୍ଷକ ହୋଇଥିବା ବେଳେ ତାଙ୍କ ପତ୍ନୀ ତଥା ଶ୍ୱେତାଙ୍କ ମା ସୁଷମା ମହାନ୍ତ ମଧ୍ୟ ଜଣେ କିକ ବକ୍ସିଂ ମେଡାଲିଷ୍ଟ୍। ପରିବାରର ସହଯୋଗ ତଥା ପ୍ରେରଣା ପାଇଁ ଆଜି ଶ୍ୱେତାରାଣୀ ବଡବିଲ ସମେତ କେନ୍ଦୁଝର ଜିଲ୍ଲାକୁ ବିଶ୍ଵ ଦରବାରରେ ପରିଚିତ କରାଇଛନ୍ତି। ଏନେଇ ଆଜି ଆୟୋଜିତ ଏହି ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମରେ ବଡବିଲ ସହରର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି କେନ୍ଦୁଝରର ଗୌରବ ଶ୍ୱେତାରାଣୀଙ୍କୁ ଅଭିନନ୍ଦନ ସହ କୃତଜ୍ଞତା ଜଣାଇଥିଲେ।

KHALANANDA SHARMA's Report
BlackCatNews, Keonjhar

#

Also Read

×