ଭଦ୍ରାସାହି ନିକଟ ଜାତୀୟ ରାଜପଥରେ ବେଆଇନ୍ ପାର୍କିଂ ଯୋଗୁ ଦୁର୍ଘଟଣା ଘଟି ବାଇକ ଚାଳକ ମୃତ ।।.
259 Views 0 Comments | - By Black Cat News - 6 June, 2023

ବଡବିଲ: ଆଜି ମଧ୍ୟାହ୍ନ ସମୟରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଭଦ୍ରାସାହି ନିକଟରେ ଏକ ଛିଡା ହୋଇ ରହିଥିବା ଟ୍ରଲର ପଛରେ ପିଟି ହୋଇ ଜଣେ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣା ପଡିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ସୂଚନାନୁସାରେ ସେ ଭଦ୍ରାସାହିରୁ ଯୋଡା ଅଭିମୁଖେ ଯାଉଥିବା ସମୟରେ ଜାତୀୟ ରାଜପଥରେ ଛିଡା ହୋଇ ରହିଥିବା ଏକ ଆଇରନ ବୋଝେଇ ଟ୍ରଲର ପଛରେ ପିଟି ହୋଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଜୋରଦାର ଆଘାତ ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ ମାତ୍ର ସେତିକି ବେଳକୁ ବାଇକ ଆରୋହୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବାଇକ ଆରୋହୀଙ୍କୁ ଯୋଡା ସ୍ଥିତ ଟିସ୍କୋ ମେଡିକାଲ ପଠାଇ ତଦନ୍ତ ଜାରି ରଖିଛି। ଏଠାରେ ସୂଚନା ଥାଉ କି ଭଦ୍ରାସାହି ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥରେ ବେଆଇନ୍ ଭାବେ ଶହ ଶହ ଭାରିଯାନ ଗୁଡିକ ଛିଡା ହୋଇ ରହିବା ଫଳରେ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟି ଆସୁଛି। ଏହି ବେଆଇନ୍ ପାର୍କିଂ ଉପରେ ନିୟନ୍ତ୍ରଣ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ସ୍ଥାନୀୟ ଲୋକେ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣୁ ଯଥାଶୀଘ୍ର ଏହି ବେଆଇନ୍ ପାର୍କିଂ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି
KHALANANDA SHARMA's Report
BlackCatNews, Keonjhar