ଆମର ପର୍ବପର୍ବାଣୀ: ଶେଷ ରଜଦିନ ପାଳନ ହୁଏ ବସୁମତି ସ୍ନାନ। .
15 Views 0 Comments | - By Black Cat News - 19 June, 2022

ବସୁମତି ସ୍ନାନ
ଶେଷ ରଜଦିନ ପାଳନ ହୁଏ ବସୁମତି ସ୍ନାନ। ଅକ୍ଷୟତୃତୀୟଠାରୁ ଧାନ ଅନୁକୂଳ କରି ବର୍ଷା ହେବାର ପ୍ରତିକ୍ଷାରେ ବସିଥିବା ଚାଷୀ ରଜ ତିନି ଦିନ ହଳ କରନ୍ତି ନାହିଁ। କାରଣ ରଜରେ ବସୁଧା ମାତା ରଜବତୀ ହୋଇଥା’ନ୍ତି। ତେଣୁ ଶେଷ ରଜ ଦିନ ବସୁମତି ସ୍ନାନ ପରେ ବସୁଧା ମାତା ପବିତ୍ର ହେବାପରେ ହଳ ଆରମ୍ଭ ହୁଏ।
ମୌସୁମୀ ଆସିବାର ପ୍ରଥମ ବର୍ଷାର ସ୍ପର୍ଶରେ ଭିଜିଯାଏ ପୃଥବୀ। ଆଦ୍ର ହୁଏ ବସୁମତୀ। ମାଟିର ଭୁରୁଭୁରୁ ଗନ୍ଧ ମହକାଇଦିଏ ଗାଁ ଭୂଇଁ। ପହିଲି ବର୍ଷାର ଛୁଆଁରେ ରୋମାଞ୍ଚିତ ହୋଇଉଠେ ବସୁଧା। ସତେ ଯେମିତି ବହୁଦିନୁ ପ୍ରତିକ୍ଷୀତ ଏହି ମାଟି ମେଘ ସହ ରଚିବସିଛି ଶୃଙ୍ଗାରର ପର୍ବ। ଚାରିଆଡ଼େ ଭରିଯାଏ ଶୀତଳତା। ଆଉ ଏହି ଅବସରରେ ସମସ୍ତେ ଗାଇଉଠନ୍ତି ମିଳନର ଗୀତ। ଋତୁମତୀ ଧରା ସଙ୍କେତ ବହନ କରି ହଳଦୀ ମଖା ନିରିମାଖୀ ଦେହରେ ପଲ୍ଲୀବାଳା ସଜେଇ ହୁଏ କୁଙ୍କୁମ-ଚନ୍ଦନ। ମାଟି ମା ହୁଏ ରୋଜବତୀ। ମାଟି ଆଉ ମେଘର ମିଳନରେ ଏହି ପର୍ବକୁ ଓଡ଼ିଶାରେ ଘରେ ଘରେ ପାଳନ ହୁଏ ରଜପର୍ବ ଭାବେ।
ଇତିହାସ କହେ ରାବଣ ଯେମିତି ଦାନବମାନଙ୍କର ରାଜା। ଠିକ୍ ସେମିତି ଦାନବମାନଙ୍କର ଆଉ ଜଣେ ପ୍ରଭାବଶାଳୀ ରାଜା ଥିଲେ ମୟଦାନବ। ରାବଣ, ମୟଦାନବଙ୍କ ଦରବାରକୁ ସର୍ବଦା ଯିବା ଆସିବା କରୁଥିଲେ। ମୟଦାନବଙ୍କ ସୁନ୍ଦରୀ କନ୍ୟା ମନ୍ଦୋଦରୀ ଓ ରାବଣ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ବିବାହ ପୂର୍ବରୁ ମନ୍ଦୋଦରୀଙ୍କର ଏକ କନ୍ୟା ସନ୍ତାନ ଜନ୍ମହେଲା। ଲୋକଲଜ୍ୟା ଭୟରେ ମୟ ସେହି କନ୍ୟାକୁ ବିଳମ୍ବିତ ରାତ୍ରିରେ ଦୂର ରାଇଜକୁ ନେଇ (ମିଥିଳା ନଗର)ରେ ଗୁପ୍ତ ଭାବରେ ମାଟିତଳେ ପୋତି ଦେଇଥିଲେ।
ଏହି ଶିଶୁକନ୍ୟା ମିଥିଳା ରାଜ୍ୟରେ ପୋତି ହୋଇଥିବାରୁ ମିଥିଳାରେ ଅକାଳ ପଡ଼ିଲା, ବର୍ଷା ହେଲାନାହିଁ। ମିଥିଳାବାସୀ ତ୍ରାହି ତ୍ରାହି ଡାକିଲେ। ଏଣୁ ମିଥିଳାର ପ୍ରଜାବତ୍ସଳ ରାଜା ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ନିଜେ ହଳ ଯୋଚିଲେ। ସଂସାରର ହିତ ପାଇଁ ରାଜା ଜନକ ସ୍ୱୟଂ ହଳ ଯୋଚିବାର ଦେଖି ଇନ୍ଦ୍ର ସନ୍ତୁଷ୍ଟ ହେଲେ ଏବଂ ମୂଷଳ ଧାରାରେ ବର୍ଷା ହେଲା। ମିଥିଳାବାସୀ ଆନନ୍ଦରେ ନାଚିବାକୁ ଲାଗିଲେ। ମୌସୁମୀର ଆଗମନରେ ବର୍ଷା ମାଟିକୁ ମାତୃତ୍ୱ ଦେବାରେ ଏହି ଶୁଭ ଲଗ୍ନକୁ ସେଦିଦିନଠୁ ରଜ ପର୍ବ ଭାବେ ପାଳନ କରୁଥିବାର ପୌରାଣିକ ମତ ରହିଛି।
‘ର’ ଅର୍ଥ ସଂସାର , ‘ଜ’ ଅର୍ଥ ଯୋଚିକା। ସଂସାର ନିମନ୍ତେ ରାଜା ଜନକ ହଳ ଯୋଚିଥିବାରୁ ଏହି ପର୍ବକୁ ‘ରଜ ପର୍ବ’ କୁହାଯାଏ। ହଳ ଯୋଚିବା ବେଳେ ଜନକ ଏକ କନ୍ୟାକୁ ପାଇଥିବାରୁ ଲକ୍ଷ୍ମୀଙ୍କର ଆଗମନ ଭାବେ ଏହି ପର୍ବକୁ କୁମାରୀମାନେ ଅଧିକ ଉତ୍ସାହର ସହ ପାଳନ କରିଥାନ୍ତି।
ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଦ୍ୟ ଆଷାଢ଼ରେ ସୂର୍ଯ୍ୟ ବୃକ୍ଷରାଜିକୁ ତ୍ୟାଗ କରି ମିଥୁନ ରାଶିରେ ପ୍ରବେଶ କରନ୍ତି। ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ଆମେ ରଜପର୍ବ ଭାବେ ପାଳିଥାଉ। ରଜପର୍ବ ଓଡ଼ିଶାର ଏକ କୃଷିଭିତ୍ତିକ ପର୍ବ ବା ଗଣପର୍ବ। ଓଡ଼ିଶାରେ ୧୨ମାସରେ ତେର ପର୍ବ ଭିତରେ ଏହା ଏମିତି ଏକ ପର୍ବ ଯେଉଁଥିରେ ଆମେ ପାଞ୍ଚ ଦିନ ଧରି ଏହି ପର୍ବ ପାଳନ କରିଥାଉ ଯଥା ‘ସଜବାଜ’, ‘ପହିଲି ରଜ’, ‘ରଜ ସଂକ୍ରାନ୍ତି’, ‘ଭୂମି ଦହନ’ ଓ ‘ବସୁମତୀ ସ୍ନାନ’।
ଓଡ଼ିଶାର ରଜପର୍ବ ପରି ରାଜସ୍ତାନରେ ମଧ୍ୟ ପାଳନ ହୁଏ ‘ଡାଜପର୍ବ’। ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ଦୋଳି ଖେଳିଥା’ନ୍ତି। ରଜପର୍ବ କେରଳରେ ମଧ୍ୟ ପାଳିତ ହୁଏ। ଓଡ଼ିଶା ଭଳି ଏଥିରେ ଦୋଳି ଥାଏ। ପିଠାପଣାମାନ ଥାଏ ଓ ନାଚଗୀତରେ ପୁଅଝିଅମାନେ ନାଚିଥାନ୍ତି।
ରଜପର୍ବ ଆସାମର ଅମ୍ବୁବାଚି ବା କାମାକ୍ଷାଦେବୀଙ୍କ ରଜପର୍ବ ନାମରେ ଯାଏ। ମିଥୁନ ସଙ୍କ୍ରାନ୍ତି ଅବସରରେ ୫୨ ଶକ୍ତିପୀଠ ମଧ୍ୟରୁ ଗୌହାଟିରେ ଥିବା ପ୍ରମୁଖ କାମାକ୍ଷା ଦେବୀ ଏହି ସମୟରେ ରଜବତୀ ହୋଇଥା’ନ୍ତି। ଦେବୀଙ୍କ ମହାସ୍ନାନ ପରେ ଚତୁର୍ଥ ଦିନ ଭକ୍ତମାନେ ମନ୍ଦିରରେ ପ୍ରବେଶ କରିଥା’ନ୍ତି।
ରଜର ଶେଷ ଦିନରେ ବସୁମତୀ ସ୍ନାନ ପାଳନ କରାଯାଏ ଥାଏ । ଏହାହେଛି ଶୁଦ୍ଧ ଓ ପବିତ୍ର ହେବାର ପ୍ରତୀକ । ଏହାର ଅନେକ ପ୍ରକାର ନାମ ରହିଛି ।
ପରମ୍ପରା ଅନୁସାରେ ସକାଳୁ ଶିଳ ଶିଳପୁଆରେ ଲୁଗା ପିନ୍ଧାଇ ନାରୀ ପରି ସିନ୍ଦୁର କଜଳ ଲଗାଇ ହଳଦୀ ଲଗାଇ ପୂଜା ସହ ପୀଢା ଉପରେ ରଖି ଦୁଗ୍ଧ ସ୍ନାନ କରାଯାଇଥା ଏ। ଏହିଦିନ ମାଣବସା ଗୁରୁବାର ମହାଲକ୍ଷ୍ମୀଙ୍କ ପେଡି ଖୋଲାଯାଇଥାଏ । ଭାଇମାନେ ଭଉଣୀଙ୍କର ଚପଲ କଦଲି କିମ୍ବା ଗୁଆ ଖୋଳପା ଛଡାଇ କରିଥାଆନ୍ତି ।ପୂଜାରେ ମାଟି ମା’ ପବିତ୍ର ଓ ପ୍ରସବଯୁକ୍ତା ହୋଇଥାନ୍ତି। ଏହି ଦିନ ଯଦି ଜୋର୍ରେ ଅସରାଏ ବର୍ଷା ହୋଇଯାଏ, ଚାଷୀମାନେ ଆନନ୍ଦରେ ଉତ୍ଫୁଲିତ ହୋଇ ବିହନ ବୁଣିବା ଆରମ୍ଭ କରି ଦିଅନ୍ତି।
ଏହା ହେଉଛି ଭକ୍ତି ଓ ଶକ୍ତିର ପ୍ରତୀକ । ପ୍ରଜନନନ ଓ ନୂତନ ସୃଷ୍ଟିର ନିଦର୍ଶନ । ଅନ୍ୟକୁ ଜୀବଦାନ ଦେବା । ଶସ୍ୟ ଶ୍ୟାମଳା ହେବ । ପୁଣି ଋତ ଚକ୍ରଓ ପ୍ରକୃତିକୁ ସମ୍ମାନ ଦେବାର ପର୍ବ ।
SWADHIN MOHAN MOHAPATRA's Report
BlackCatNews, Cuttack